Unknown

 

 

 

 

 

 

 

 

 

 

ଅଲେଖ ଚଉତିଶା

ସୁଦର୍ଶନ

 

କର ସୁଜ୍ଞଜନ ନାମ କୀର୍ତ୍ତନ

କ୍ଷଣେ ନ ଛାଡ଼ିବୁ ଗୁରୁ ବଚନ,

ଗଳାରେ ତୁ ହାର କରିବୁ ନେଇ

ଘଟସୂତ୍ରେ ଜପନ ଅଲେଖ ଭୂଇଁ ।

ମନ ହୋ, ଉଦେ ଅସ୍ତ ହେଉଛି,

ଚଉଦବ୍ରହ୍ମାଣ୍ଡ ପୂରି ରହିଛି ।୧।

 

ଛନକା ନ ହୋଇ ନଛାଡ଼ କ୍ଷଣେ

ଯେଉଁ ସ୍ୱାମୀ ନାମ ଗୋଟି ଭଜନେ,

ଝାଡ଼ର ଭିତରେ ମୁନି ବସିଣ

ନିଶ୍ଚଳେ ଜପନ୍ତି ଅରୂପ ବ୍ରହ୍ମ ।

ମନ ହୋ, ଟାଣେ ଧରିଣ ଥିବୁ,

ଠୁଳେ ମାୟାକୁ ତୁ ପ୍ରତେ ନ ଯିବୁ ।୨।

 

ଡୋଳାର ନିକଟେ ଅଛନ୍ତି ହରି

ଢାଳେହେଁ ନ ଭୁଲ ଭ୍ରମ ବିଚାରି,

ଅଣାକାର ତାର ଆକାର ନାହିଁ

ତିନିପୁର ଯାର ରୁମେ ଅଛଇ ।

ମନ ହୋ, ଥଏ କରିଣ ଚିହ୍ନ

ଦୁର୍ବୁଦ୍ଧି ଘୋଟିବ ହେଲେ ଅଜ୍ଞାନ ।୩।

ଧୀରେ ଧରି ମନ ସୂତ୍ରରେ ଦେଖ

ନିର୍ଗୁଣ ଅଟଇ ସେ ପୁରଯାକ,

ପରମବ୍ରହ୍ମକୁ ପ୍ରୀତିରେ ପାଇ

ଫରହର ଭେଖ ବୁଲୁ ଅଛଇ ।

ମନ ହୋ, ବୁଦ୍ଧ ସ୍ୱାମୀ ସ୍ୱରୂପ

ଭେଟିଲେ ପାଇବୁ ପରମ ସୁଖ ।୪।

 

ମହାମହିମ ସେ ଅଲେଖ ସ୍ୱାମୀ

ଯା ନାମ ଭଜି ନ ପାରନ୍ତି ମୁନି,

ରାସଲୀଳାଛନ୍ତି ତହିଁରେ ପୂରି

ଲାଗିଅଛି ନୃତ୍ୟ ଶ୍ରୀଗୁରୁ ବୋଲି

ମନ ହୋ, ବଟବୃକ୍ଷ ମୂଳରେ

ସର୍ବ ଭକ୍ତ ପୂରିଛନ୍ତି ସେଠାରେ ।୫।

 

ଶିବ-ସନକାଦି ଜନକ ଯୋଗୀ

ଶ୍ରୀକୃଷ୍ଣ ଅଛନ୍ତି ସେ ବଟ ଜଗି,

ହାଟ ଛଳ ନାମ ଅବନା ଭୂଇଁ

ହାଟ ତଳେ ଦେବଦେବୀ ଅଛଇ

ମନ ହୋ, କ୍ଷମାସାଗର ପାଦ

କ୍ଷମାକର ସୁଦର୍ଶନ ଅପ୍ରାଧ ।୬।

 

ଭାବାର୍ଥ - (୧-୪) କବି ଜଗତବାସୀଙ୍କୁ ନିବେଦନ କରି କହୁଛନ୍ତି- ହେ ସୁଜ୍ଞଜନ, ସଂସାରରେ ନାମ, ଗୁରୁଙ୍କ ମହିମା ଅପାର । ସର୍ବଦା ନାମ କୀର୍ତ୍ତନ କର । ଗୁରୁଙ୍କ ବଚନକୁ କ୍ଷଣକ ପାଇଁ ମଧ୍ୟ ଅବଜ୍ଞା କରିବୁ ନାହିଁ । ନାମ, ଗୁରୁଙ୍କୁ ଗଳାର ମାଳା କରିଥିବୁ । ହୃଦୟ ମଧ୍ୟରେ ଅଲେଖ ନିରଞ୍ଜନଙ୍କୁ ଜପ କର । ରେ ମନ, ଜଗତର ସେ ଆରାଧ୍ୟ ଦେବତା । ତାଙ୍କରି ଆଜ୍ଞାରେ ସୂର୍ଯ୍ୟ ଉଦୟ ଓ ଅସ୍ତ ଯାଉଛି । ତାଙ୍କ ଉଦରରେ ଚଉଦ ବ୍ରହ୍ମାଣ୍ଡ ପୂରି ରହିଛି । ତାଙ୍କ ମହିମାର ଅନ୍ତ ନାହିଁ-। ଛନକା ହୋଇ ତାଙ୍କୁ ଛାଡ଼ ନାହିଁ । ବଣ ମଧ୍ୟରେ ମୁନିଋଷିମାନେ ବସି ଅଲେଖ ସ୍ୱାମୀଙ୍କ ନାମକୁ ଅନବରତ ଜପୁଛନ୍ତି । ତାଙ୍କ ଅଲୌକିକ ଗୁଣରାଶିକୁ, ଅରୂପ ବ୍ରହ୍ମଙ୍କୁ ନିଶ୍ଚଳରେ ବସି ଧ୍ୟାନ କରୁଛନ୍ତି । ମନ ହୋ, ମନକୁ ସର୍ବଦା ଟାଣ କରିଥିବୁ । ଦୁର୍ବଳ ହେବୁ ନାହିଁ । ମାୟା ମୋହ ସଂସାର ପ୍ରତି ଆସକ୍ତ ହେବୁ ନାହିଁ । ଏହା ଅଳିକ ।

 

ହେ ମନ, ତୋ ଚକ୍ଷୁ ଡୋଳା ଆଗରେ ସ୍ୱୟଂ ହରି ବିଦ୍ୟମାନ । ଅଯଥା ମନରେ ଭ୍ରମ ନ ଆଣି, ତାଙ୍କ ପାଦ ତଳେ ନିଜକୁ ଜାଳିବାକୁ ଭୁଲିବୁ ନାହିଁ । ତାଙ୍କର ଆକାର ନାହିଁ, ସେ ଅଣାକାର । ଏ ତିନିପୁର ତାଙ୍କ ଲୋମ ମୂଳରେ ରହିଛି । ମନ ହୋ, ମନଥୟ କରି ତାଙ୍କୁ ଚିହ୍ନ । ଏଥିରେ ହେଳା କଲେ ବା ଏହା ଜାଣିବାକୁ ଅଜ୍ଞାନ ହେଲେ ତୋତେ ଦୁର୍ବୁଦ୍ଧି ଘୋଟିବ । ରେ ମନ, ଧୀର ଭାବରେ ମନକୁ ତାଙ୍କ ପାଖରେ ବାନ୍ଧିରଖ । ସେ ପୁରଯାକ ନିର୍ଗୁଣରେ ପରିପୂର୍ଣ୍ଣ । ପରମବ୍ରହ୍ମଙ୍କୁ ପ୍ରୀତିରେ ପାଇ ତୁ ତାଙ୍କୁ ମନଫାଶରେ ବାନ୍ଧି ଦିଅ । ମନ ହୋ, ତାଙ୍କୁ ସାକ୍ଷାତ କଲେ ପରମ ସୁଖ ପାଇବୁ ।

 

ଭାବାର୍ଥ - (୫-୬) ରେ ମନ, ମହାମହିମ ସେ ଅଲେଖ ସ୍ୱାମୀ । ତାଙ୍କର ଅପାର ମହିମା । ଯାହାଙ୍କ ନାମ ଭଜନ କରି ଲକ୍ଷଲକ୍ଷ ବର୍ଷରେ ମଧ୍ୟ ତାଙ୍କୁ ପାଇ ପାରନ୍ତି ନାହିଁ । ତାଙ୍କ ଲୀଳାରେ ରାସଲୀଳା ପୂରି ରହିଛି । ମନ ହୋ, ବଟବୃକ୍ଷ ମୂଳରେ ବା କଳ୍ପବଟ ମୂଳରେ ସବୁ ଭକ୍ତ ରହିଛନ୍ତି ।

 

ରେ ମନ, ଶିବ, ସନକ ଋଷି ଜନକ ଯୋଗୀ, ଶ୍ରୀକୃଷ୍ଣ ସେ ବଟକୁ ଜଗି ରହିଛନ୍ତି । ବୃକ୍ଷମୂଳରେ ହାଟ ସ୍ଥଳ, ସେଠାରେ ଦେବଦେବୀ ଅଛନ୍ତି । ମନ ହୋ, କ୍ଷମା ସାଗର ପ୍ରଭୁଙ୍କ ପାଦ ତଳେ ନିଜକୁ ସମର୍ପି ଦେ । ହେ ପ୍ରଭୁ, ଏ ଦୀନ ସୁଦର୍ଶନର ଅପରାଧକୁ କ୍ଷମା କରିଦିଅ ।